<h3>ଫ୍ଲିପକାର୍ଟ, ଆମାଜନ, ମିନ୍ତ୍ରା, ମେଶ ଇତ୍ୟାଦି ଅନଲାଇନ ସପିଂ ଆପ୍ ଆସିବା ପରଠୁ ସପିଂ ମୋଲ ଭିତରେ ଲମ୍ବା ଧାଡିରେ ଛିଡା ହୋଇ କି କପଡା କିମ୍ବା ଅନ୍ୟାନ୍ୟ ଆସବାବପତ୍ର କିଣିବା ଆମ ପାଇଁ କଷ୍ଟକର ହୋଇପଡିଛି । ତେଣୁ ଆମେ ସମସ୍ତେ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷଠୁ ଆରମ୍ଭ କରି କପଡା ଆସବାବପତ୍ର କିଣିବା ପର୍ଯ୍ୟନ୍ତ ଏଇ କେତେକ ଅନଲାଇନ ସପିଂ ଆପ୍ ଉପରେ ଭରଷା କରିଥାଉ । କିନ୍ତୁ ଆଜି ଆମେ ଆପଣମାନଙ୍କୁ ଏମିତି କିଛି ଘଟଣା ସମ୍ପର୍କରେ କହିବୁ ଯାହାକୁ ଶୁଣିଲା ପରେ ଆପଣମାନଙ୍କର ଏହି ସପିଂ ଆପ ଉପରୁ ଭରଷା ତୁଟିଯିବ । ତେବେ ନିକଟରେ ରୋହନ ଦାସ ନାମକ ଜଣେ ବ୍ୟକ୍ତି ଆମାଜନ ଆପରୁ ଏପ୍ରିଲ ୩୦ ରେ ଲେନୋଭୋ ଲାପଟପ୍ ଅର୍ଡର କରିଥିଲେ ଏବଂ ଏହାକୁ ମେ ୭ ସୁଦ୍ଧା ବିତରଣ କରାଯାଇଥିଲା । କିନ୍ତୁ ଯେତେବେଳେ ସେ ଲେନୋଭୋର ଅଫିସିଆଲ୍ ସାଇଟରେ ୱାରେଣ୍ଟି ଅବଧି ଯାଞ୍ଚ କରିଥିଲେ, ଏହା ଡିସେମ୍ବର ୨୦୨୩ ରେ ଆରମ୍ଭ ହୋଇସାରିଛି । ଆଉ ଏହାପରେ ସେ ସୋସିଆଲ ମିଡିଆ ଏକ୍ସରେ ଏକ ଭିଡିଓ ସେୟାର କରିଥିଲେ ଯେଉଁଥିରେ ସେ କହିଛନ୍ତି ଯେ, ଆମାଜନ କମ୍ପାନୀ ତାଙ୍କୁ ଠକିଛି । @amazonIN ବ୍ୟବହୃତ ଜିନିଷକୁ ନୂତନ ଭାବରେ ବିକ୍ରି କରୁଛି । ଆମାଜନ ତାଙ୍କୁ ୧ ଲକ୍ଷ ଟଙ୍କାର ନୂତନ ଲାପଟପ ଦେବା ପ୍ରତିବଦଳରେ ସେକେଣ୍ଡ ହ୍ୟାଣ୍ଡ ବା ଆଗରୁ ବ୍ୟବହାର ହୋଇଥିବା ଲାପଟପ ପ୍ରଦାନ କରିଛି । ଏହି ଭିଡିଓଟିରେ ସେ ଆମାଜନରେ କ୍ରୟ ବଟନ୍ ଦବାଇବା ପୂର୍ବରୁ ସମସ୍ତଙ୍କୁ “ଶହେ ଥର”ଭାବିବାକୁ ଚେତାବନୀ ଦେଇଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଏହାକୁ ଦେଖିଲା ପରେ ଲୋକେ ତାଙ୍କୁ କଞ୍ଜୁମର କୋର୍ଟରେ ମାମଲା ରୁଜୁ କରିବାକୁ ପରାମର୍ଶ ଦେଇଥିବା ବେଳେ ଆଉ ଜଣେ କହିଛନ୍ତି ଯେ, ଜଣେ ସାଧାରଣ ବ୍ୟକ୍ତିଟିଏ ଜାଣି ପାରିବ ନାହିଁ କି ତାଙ୍କୁ ବ୍ୟବ୍ୟହାର ହୋଇଥିବା ଜିନିଷ ଦିଆଯାଉଛି.. ଜଣେ ଟେକ୍ନିକାଲ ଏକ୍ସପର୍ଟ ହିଁ ଏକଥା ଜାଣିପାରିବ । ଅନ୍ୟ ଜଣେ ନିଜ କାହାଣୀ ସେୟାର କରି କହିଛନ୍ତି ଯେ, ସେ ଆମାଜନରୁ ୯୪ ହଜାର ମୂଲ୍ୟର ଏକ i7 ଲାପଟପ ଅର୍ଡର କରିଥିଲେ ହେଲେ ତାଙ୍କୁ i3 ପ୍ରୋସେସର୍ ଥିବା ଏକ ଡବ୍ବା ଲାପଟପ ପ୍ରଦାନ କରାଯାଇଥିଲା ।</h3> <h3></h3>