ଶ୍ରୀମନ୍ଦିରରେ ସ୍ନାନ ବେଦୀରେ ସୁନାକୂଅର ୧୦୮ ଗରା ସୁବାସିତ ଜଳରେ ଦିବ୍ୟ ସ୍ନାନ ପରେ ଜ୍ୱରରେ ପୀଡ଼ିତ ହୋଇଛନ୍ତି ମହାପ୍ରଭୁ। ତେଣୁ ଅଣସର ଘରେ ଅଣସର ପିଣ୍ଡିକୁ ବିଜେ କରିଛନ୍ତି। ଅଣସର ଘରେ ଚାଲିବ ଚତୁର୍ଦ୍ଧାମୂର୍ତ୍ତିଙ୍କ ଗୁପ୍ତ ନୀତି। ସେଥିପାଇଁ ରତ୍ନସିଂହାସନରେ ମହାପ୍ରଭୁଙ୍କ ଦର୍ଶନ ପାଇ ପାରିବେନି ଶ୍ରଦ୍ଧାଳୁ। ଏହି ସମୟରେ ସେମାନଙ୍କ ସ୍ଥାନରେ ପୂଜା ପାଇବେ ପଟ୍ଟି ଦିଅଁ। ଶ୍ରୀଜଗନ୍ନାଥଙ୍କ ସ୍ଥାନରେ ନାରାୟଣ, ବଳଭଦ୍ରଙ୍କ ସ୍ଥାନରେ ଅନନ୍ତ ବାସୁଦେବ ଓ ଦେବୀ ସୁଭଦ୍ରାଙ୍କ ସ୍ଥାନରେ ଭୁବନେଶ୍ୱରୀ ପଟ୍ଟି ଦିଅଁ ଭାବେ ପୂଜା ପାଇବେ। ଏଥିପାଇଁ ଆଜି ବିଳମ୍ବିତ ରାତିରେ ପଟିଦିଅଁ ଓ ଅନ୍ୟ ଦେବଦେବୀ ଶ୍ରୀମନ୍ଦିରକୁ ବିଜେ କରିଛନ୍ତି। ଅନ୍ୟପଟେ ଆଜି ବାହୁଡ଼ାପହଣ୍ଡି ଶେଷ ପରେ ବିଳମ୍ବିତ ରାତିରେ ଶ୍ରୀଜିଉଙ୍କ ସୁନାଚିତା ଓ ରାହୁଲେଖା ମଇଲମ ନୀତି ଅନୁଷ୍ଠିତ ହୋଇଛି। ଶ୍ରୀଜିଉଙ୍କ ଶ୍ରୀଅଙ୍ଗରେ ଲାଗିଥିବା ସୁନା ଅଳଙ୍କାର ଆଦି ଖୋଲି ଦଇତାପତି ସେବକମାନେ ଭଣ୍ଡାର ମେକାପଙ୍କ ଜିମା ଦେଇଛନ୍ତି। ପରେ ଅଣସର ତାଟି ବନ୍ଧା ଯାଇଛି। ଏଥିପାଇଁ ଆବଶ୍ୟକ ତାଟି ଓ ପଟା ଶ୍ରୀମନ୍ଦିରକୁ ନିଆଯାଇଥିଲା। ଚଳିତବର୍ଷ ୧୫ ଦିନ ବଦଳରେ ଶ୍ରୀଜିଉଙ୍କ ଅଣସର ନୀତି ୧୩ ଦିନ ଧରି ଚାଲିବ। ଏହି ସମୟରେ ଶ୍ରୀଜିଉଙ୍କ ବଦଳରେ ପଟିଦିଅଁ ପୂଜା ପାଇବେ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରୂପରେ ଅନନ୍ତ ନାରାୟଣ, ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ରୂପରେ ଅନନ୍ତ ବାସୁଦେବ ଓ ଦେବୀ ସୁଭଦ୍ରାଙ୍କ ରୂପରେ ମା’ ଭୁବନେଶ୍ୱରୀ ପୂଜା ପାଇବେ। ପଟିଦିଅଁଙ୍କ ସହ ଦୋଳଗୋବିନ୍ଦ, ମଦନମୋହନ, ଲକ୍ଷ୍ମୀ, ସରସ୍ୱତୀ, ରାମ, କୃଷ୍ଣ ଓ ନୃସିଂହ ଭଗବାନଙ୍କ ପଟିଦିଅଁ ବି ପୂଜା ପାଇବେ। ଅନ୍ୟପଟେ ଆସନ୍ତାକାଲିଠାରୁ ଅଣସରକାଳୀନ ଗୁପ୍ତନୀତି ଆରମ୍ଭ ହେବ। ଜୟବିଜୟ ଦ୍ବାର ବନ୍ଦ ଓ ବେହେରଣ ଦ୍ବାର ଫିଟିବା ନୀତି ଅନୁଷ୍ଠିତ ହେବ। ଦଇତାପତି ସେବକମାନେ ଅଣସରର ଗୁପ୍ତସେବା ପାଇଁ ପ୍ରତିଦିନ ବେହେରଣ ଦ୍ବାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିବେ। ଅଣସରର ଗୁପ୍ତନୀତି ପରେ ମହାପ୍ରଭୁ ନବଯୌବନ ବେଶ ସହ ଶ୍ରୀଗୁଣ୍ଡିଚା ଯାତ୍ରାରେ ବାହାରକୁ ବାହାରିବେ। ଏହି ୧୩ ଦିନ ପଟିଦିଅଁମାନେ ଶ୍ରୀମନ୍ଦିର ଅଣସର ତାଟି ନିକଟରେ ପୂଜା ପାଇବେ। ମହାପ୍ରଭୁଙ୍କ ବଦଳରେ ପଟିଦିଅଁଙ୍କଠାରେ ଷାଠିଏ ପଉଁଟି ଭୋଗ ଲାଗି ହେବ। ଏହି ସମୟରେ ମହାପ୍ରଭୁଙ୍କଠାରେ ଫଳ, ଚକଟା ଭୋଗ ଆଦି ଲାଗି ହେବ। ଘନ ଅନ୍ଧକାର ଭିତରେ ଏହି ଭୋଗ ଲାଗି ସହ ଗୁପ୍ତସେବା ଅନୁଷ୍ଠିତ ହେବ।