ନିଆଁ ବୁଝିଲାନି ବିଧବା ମା’ର ଦୁଃଖ । ଅଗ୍ନିକାଣ୍ଡରେ ଜଳି ଭସ୍ମ ହୋଇଗଲା ସବୁ କିଛି । ଦିନ ମଜୁରୀ କରି ସାଇତି ଥିବା ସବୁ ଟଙ୍କା ମଧ୍ୟ ପୋଡି ପାଉଁଶ ହୋଇଯାଇଛି । ଆଉ ଏହି ଦୃଶ୍ୟକୁ ଆଖି ଆଗରେ ଦେଖି ନିଜର ୧୧ ବର୍ଷର ପୁଅକୁ ଧରି ବାହୁନି ବାହୁନି କାନ୍ଦୁଛି ମାଆ । ଖାଲି ଟଙ୍କା ନୁହେଁ, ଧାନ ଚାଉଳ, ଲୁଗାପଟା ବି ସମ୍ପୂର୍ଣ୍ଣ ଜଳିଯାଇଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ଜୟବଡ ଗ୍ରାମରେ । ଏହି ଗ୍ରାମରେ ୧୧ ବର୍ଷ ହେବ ଏକ ଆଜବେଷ୍ଟ ଘରେ ଭଡା ନେଇ ରହୁଥିଲେ ଚନ୍ଦା ବିବି । ଆଉ ଆଜି ସେହି ଘରେ ବିଦ୍ୟୁତ ସର୍ଟ ସର୍କିଟରୁ ନିଆଁ ଲାଗି ସବୁକିଛି ପାଉଁଶ ହୋଇଯାଇଛି । ଦିନ ମଜୁରିଆ ଭାବେ କାମ କରିବାକୁ ଯାଇଥିବା ବେଳେ ଚନ୍ଦାଙ୍କ ଘରେ ବିଦ୍ୟୁତ ସର୍ଟ ସର୍କିଟ ଯୋଗୁ ଘରେ ନିଆଁ ଲାଗିଥିବା ସେ ଅନୁମାନ କରୁଛନ୍ତି । ତେବେ ଅଗ୍ନିକାଣ୍ଡର ଖବର ପାଇ ଜଗତସିଂହପୁର ଅଗ୍ନିଶମ ବାହିନୀ ପହଂଚି ନିଆଁ ଲିଭାଇବାରେ ସଫଳ ହୋଇଥିଲେ । ଅନ୍ୟପଟେ ଅଗ୍ନିକାଣ୍ଡରେ ସର୍ବସ୍ୱ ହରାଇଥିବା ଚନ୍ଦା ବିବି ସରକାରୀ ସହାୟତାକୁ ଅପେକ୍ଷା କରିଛନ୍ତି ।